ପୁଣି ଦୁର୍ଗମରେ ଜନନୀ ଯନ୍ତ୍ରଣା – ଅଧା ବାଟରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ
1 min read

ପୁଣି ଦୁର୍ଗମରେ ଜନନୀ ଯନ୍ତ୍ରଣା – ଅଧା ବାଟରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ

ପୁଣି ଦୁର୍ଗମରେ ଜନନୀ ଯନ୍ତ୍ରଣା
ଅଧା ବାଟରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ

୩ କିମି ଖଟିବାରେ ବୁହାହେଲେ ଗର୍ଭବତୀ
ରାସ୍ତା ନିର୍ମାଣ ପାଇଁ ବାଧବ ସାଜିଛି ବନ ବିଭାଗ

କୋକସରା,୧।୭ : ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିବାରେ ବୋହି ଆଣିବାବେଳେ ବାଟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତର ସର୍ଗିପାନୀ ଗାଁରେ ଦେଖିବାକୁ ମିଲିଛି।
ସୂଚନା ଅନୁସାରେ, ସର୍ଗିପାନୀ ଗାଁର ଚକ୍ର ସାନ୍ତାଙ୍କ ସ୍ତ୍ରୀ ହିରାମଣୀ ସାନ୍ତା(୨୬)କୁ ଆଜି ପ୍ରସବ ଯନ୍ତ୍ରଣା ହେବାରୁ ଆଶା କର୍ମୀଙ୍କୁ ଖବର ଦେଇଥିଲେ। ଆଶା କର୍ମୀ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତେବେ ରାସ୍ତା ଖରାପ ଥିବା ଯୋଗୁଁ ଗାଁ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯାଇ ନପାରି ଅଧା ରାସ୍ତାରେ ଅଟକି ରହିଥିଲା। ଆଶା କର୍ମୀଙ୍କ ସହ ତାଙ୍କ ପରିବାର ଲୋକେ ପ୍ରାୟ ୩କିମି ଦୂର ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ପାଇଁ କିଛିବାଟ ଚାଲିବା ସହ ଖଟିଆରେ ବୋହି ଆଣିବା ସମୟରେ ଅଧା ବାଟରେ ଗର୍ଭବତୀ ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପରେ ଆମ୍ବୁଲାନ୍ସ ଯୋଗେ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ବର୍ତ୍ତମାନ ଉଭୟ ମା’ ଓ ନବଜାତ ଶିଶୁପୁତ୍ର ସୁସ୍ଥ ଥିବା ଜଣାପଡିଛି। ପ୍ରକାଶ ଯେ’ କୋକସରା ବ୍ଲକର ଆମପାଣି ପଞ୍ଚାୟତର ଉପାନ୍ତ ସର୍ଗିପାନୀ ଗାଁ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି। ଏହି ଗାଁକୁ ଯିବାକୁ ହେଲେ ଭଲ ରାସ୍ତା ନାହିଁ। ତେଣୁ ରାସ୍ତା ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନ ପାଖରେ ଗାଁ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ରାସ୍ତା ମରାମତି ଦିଗରେ ଜଙ୍ଗଲ ବିଭାଗ ବାଧା ସାଜୁଥିବାରୁ ତାହା ସମାଧାନ ହୋଇପାରୁନାହିଁ। ସବୁ ଦିନିଆ ଭଲ ରାସ୍ତା ନଥିବା କାରଣରୁ ପୂର୍ବରୁ ମଧ୍ୟ ଆମପାଣି ପଞ୍ଚାୟତର ଉପାନ୍ତରେ ଥିବା ଗାଁ ଗୁଡ଼ିକରୁ ରୋଗୀ ଓ ଗର୍ଭବତୀ ଖଟିଖିଆରେ ବୁହାହେବା ଖବର ନଜିର ରହିଛି। ଏ ବିଷୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହିମାଞ୍ଚଳ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ରିଜର୍ଭ ଫରେଷ୍ଟ ଏରିଆ ଆସୁଥିବାରୁ ରାସ୍ତା ନିର୍ମାଣ କରିବାକୁ ହେଲେ ସମସ୍ୟା ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *